ମହିଳା ଏସିଆ କପ୍‌: ଫାଇନାଲରେ ହାରିଲା ଭାରତ

0
49

କୁଆଲାଲମ୍ପୁର,- ଚଳିତ ମହିଳା ଏସିଆ କପ୍‌ରେ ୬ ଥର ଚାମ୍ପିୟନ ଭାରତୀୟ ଦଳକୁ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ରବିବାର ଖେଳାଯାଇଥିବା ଫାଇନାଲରେ ବାଂଲାଦେଶ ୩ ଉଇକେଟରେ ଭାରତକୁ ହରାଇଦେଇଛି। ଏଥି ଯୋଗୁ ବାଂଲାଦେଶକୁ ପ୍ରଥମ ଥର ପାଇଁ ଏସିଆ କପ୍‌ ଟାଇଟଲ ହାସଲ କରିଛି। ଅନ୍ୟପକ୍ଷରେ ଭାରତୀୟ ଦଳ ପାଇଁ ଚଳିତ ଟୁର୍ନାମେଣ୍ଟ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ଅପେକ୍ଷାକୃତ ନିମ୍ନ ର଼୍ୟାଙ୍କଧାରୀ ବାଂଲା ଦଳଠାରୁ ଭାରତ ଦୁଇ ଥର ପରାଜିତ ହୋଇଛି। ଅଧିନାୟିକା ହରମନପ୍ରୀତ କୌରଙ୍କ ଅର୍ଦ୍ଧଶତକୀୟ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୯ ଉଇକେଟ୍‌ ହରାଇ ୧୧୨ ରନ୍‌ କରିଥିଲା। ଜବାବରେ ବାଂଲାଦେଶ ୩ ଉଇକେଟ ହାତରେ ରଖି ଅନ୍ତିମ ବଲରେ ମ୍ୟାଚ୍‌ ଜିତି ନେଇଥିଲା।
ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତ ଇନିଂସ୍‌ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର ୬୨ ରନ୍‌ ମଧ୍ୟରେ ଦଳର ପ୍ରମୁଖ ବ୍ୟାଟ୍ସଓମ୍ୟାନ ତଥା ମିଥାଲି ରାଜ (୧୧), ସ୍ମୃତି ମନ୍ଦନା (୭), ଦୀପ୍ତି ଶର୍ମା (୪), ଅନୁଜା ପାଟିଲ(୩) ଓ ବେଦ କ୍ରିଷ୍ଣମୂର୍ତ୍ତି (୧୧)ଙ୍କ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏପରିକି ଦଳ ୧୦୦ ରନ୍‌ ଛୁଇଁପାରିବ କି ନାହିଁ ଭଳି ଆଶଙ୍କା ଉପଜିଥିଲା। ମାତ୍ର ଅଧିନାୟିକା ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରିଥିଲେ। ସେ ୪୨ଟି ବଲର ସମ୍ମୁଖୀନ ହୋଇ ୭ଟି ଚୌକା ସହାୟତାରେ ୫୬ ରନ୍‌ କରିଥିଲେ। ଦଳର ଉପରକ୍ରମ ଭଳି ନିମ୍ନକ୍ରମର ଖେଳାଳିମାନେ ଶୀଘ୍ର ଆଉଟ୍‌ ହେବାରୁ ଭାରତ ନିର୍ଦ୍ଧାରିତ ୨୦ ଓଭର୍‌ରେ ୧୧୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ବାଂଲାଦେଶ ପକ୍ଷରୁ ରୁମାନା ଅହମ୍ମଦ ଓ ଖାଦିଜା ତୁଲ କୁବ୍ରା ୨ଟି ଲେଖାଏ ଉଇକେଟ ନେଇଥିଲେ। ଛୋଟିଆ ଲକ୍ଷ୍ୟକୁ ନେଇ ଓହ୍ଲାଇଥିବା ବାଂଲା ଦଳ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଦଳ ୩୫ ରନ୍‌ କରିଥିବା ବେଳେ ପୁନମ ଯାଦବ ଦୁଇ ଓପନରଙ୍କୁ ଆଉଟ୍‌ କରି ଦେଇଥିଲେ। ଏହାପରେ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇବା ସତ୍ତ୍ୱେ ଦଳ ବିଜୟ ଦିଗରେ ଅଗ୍ରସର ହେଉଥିଲା। ବାଂଲାଦେଶ ପାଇଁ ନିଗାର ସୁଲତାନା (୨୭) ଓ ରୁମାନା ଅହମ୍ମଦ (୨୩) ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଭାରତୀୟ ଦଳ ପକ୍ଷରୁ ପୁନମ ୪ଟି ଓ ଅଧିନାୟିକା ହରମନପ୍ରୀତ ୨ଟି ଉଇକେଟ ନେଇଥିଲେ।

LEAVE A REPLY

Please enter your comment!
Please enter your name here