ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଥାନାରେ ଏତଲା ଦେଲେ ସେବକ

0
28

ପୁରୀ , ୯ା୬: ଶ୍ରୀମନ୍ଦିର ରତ୍ନଭଣ୍ଡାର (ଭିତର) ଚାବିକୁ ନେଇ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ରତ୍ନଭଣ୍ଡାର ଚାବି ହଜିବାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଭକ୍ତ ଏବଂ ସେବାୟତ। ଏଭଳି ଦାୟିତ୍ୱହୀନତା ବିରୋଧରେ ଦିନକୁ ଦିନ ପ୍ରତିବାଦର ସ୍ବର ଲମ୍ବୁଛି। ଶୁକ୍ରବାର ଶ୍ରୀମନ୍ଦିରର ସେବକ ନରସିଂହ ପୂଜାପଣ୍ଡା ଟାଉନ ଥାନାରେ ଏତଲା ଦେଇଛନ୍ତି।
ନରସିଂହ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ସରକାରୀ ତହବିଲ ବା ସରକାରୀ ଟ୍ରେଜେରିରୁ ଉଭାନ୍‌ ହୋଇଯାଇଛି। ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ଏହି ଘଟଣା ଲକ୍ଷ ଲକ୍ଷ ଭକ୍ତଙ୍କ ମନକୁ ଭୀଷଣ ଆଘାତ ଦେବା ସହ ଧାର୍ମିକ ଭାବନା ପ୍ରତି ମଧ୍ୟ କୁଠାରାଘାତ କରିଛି। ଗତ ଏପ୍ରିଲ ୪ରୁ ପ୍ରଶାସନ ଚାବି ଚୋରି ହୋଇଥିବା ଜାଣି ମଧ୍ୟ ଏତଲା ଦେଇନାହିଁ, ଯାହା ସମ୍ପୂର୍ଣ୍ଣ ବେଆଇନ। ଏହାପଛରେ ଷଡ଼ଯନ୍ତ୍ର ଓ ଖାମଖିଆଲି ମନୋଭାବ ସ୍ପଷ୍ଟ ଜଣାପଡୁଛି। ପୁରୀ ଟ୍ରେଜେରି ଅଫିସ ଓ ରତ୍ନଭଣ୍ଡାର ଚାବି ରଖାଯାଇଥିବା ସ୍ଥାନ ଟାଉନ ଥାନା ଅଧୀନରେ ଆସୁଛି। ପ୍ରଶାସନ ଏବଂ ସରକାର ଏତଲା ନ ଦେବାରୁ ଟାଉନ ଥାନାରେ ମୁଁ ଏତଲା ଦାଖଲ କରୁଛି ବୋଲି ନରସିଂହ ଉଲ୍ଲେଖ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅଧିକାରୀ, ପ୍ରଶାସକ ଓ ଅନ୍ୟମାନଙ୍କୁ ଜେରା କରାଯିବା ସହ ଜିଲା ଟ୍ରେଜେରି ସ୍ଥଳ ପରିଦର୍ଶନ କରାଯାଉ। ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ଆଣି ତନ୍ନତନ୍ନ କରି ଯାଞ୍ଚ ଓ ଅନୁସନ୍ଧାନ ହେଉ। ଏଥିସହ ମାମଲା ରୁଜୁ କରାଯାଇ ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନରସିଂହ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି।

LEAVE A REPLY

Please enter your comment!
Please enter your name here