ରାଜ୍ୟରେ ଧାନ ବିହନ ସଙ୍କଟ

0
33

ରାଜ୍ୟରେ ଏବେ ଧାନ ବିହନ ସଙ୍କଟ । ସରକାରୀ ସ୍ତରରେ ଆବଶ୍ୟକ ଧାନ ବିହନ ସଂଗ୍ରହ ନହେବାରୁ ଚଳିତବର୍ଷ ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଯାଇ ପାରୁନାହିଁ ।

ରାଜ୍ୟରେ ମୌସୁମୀର ଆଗମନ ସହିତ ଚାଷୀମାନେ ଧାନଚାଷ ପାଇଁ କାର୍ଯ୍ୟ ଆରମ୍ଭ କରିଦେଲେଣି । ହେଲେ ସେମାନଙ୍କ ନିକଟରେ ଧାନବିହନ ପହଞ୍ôଚ ପାରୁନାହିଁ । ବିଭିନ୍ନ ଅଞ୍ଚଳରୁ ସ୍ଥାନୀୟ ଲୋକପ୍ରତିନିଧିମାନେ ତୁରନ୍ତ ଧାନ ବିହନ ଯୋଗାଇବାକୁ ଅନୁରୋଧପତ୍ର ପଠାଉଥିବାବେଳେ ସରକାର ଏହା ଯୋଗାଇ ପାରୁନଥିବା ଜଣାଯାଇଛି ।

ବିହନଚାଷୀମାନଙ୍କ ଠାରୁ ଧାନ ବିହନ ସଂଗ୍ରହକରି ତାହାକୁ ଯୋଗାଇବାର ଦାୟିତ୍ୱ ହେଉଛି କୃଷି ବିଭାଗ ଅଧିନରେ ଥିବା ଓଡିଶା ରାଜ୍ୟ ବିହନ ନିଗମର । ଗତ ଖରିଫ ଋତୁରେ ନିଗମ ଆବଶ୍ୟକ ପରିମାଣ ଧାନ ବିହନ ସଂଗ୍ରହ କରିନଥିବା ଜଣାଯାଇଛି । ଠିକଣା ସମୟରେ ପଇସା ନପାଇବାରୁ ଚାଷୀମାନେ ବି ନିଗମକୁ ବିହନ ଦେବା ପରିବର୍ତ୍ତେ କମ୍‍ ଦରରେ ମଣ୍ଡି ଓ ବେପାରୀଙ୍କୁ ଟେକି ଦେଇଛନ୍ତି ।

ରାଜ୍ୟରେ ପ୍ରାୟ ୬ଲକ୍ଷ କୁଇଣ୍ଟାଲ ଧାନ ବିହନ ଆବଶ୍ୟକ ହେଉଥିବାବେଳେ ଗତ କିଛିବର୍ଷ ହେଲା ବିହନ ନିଗମ ଏହି ପରିମାଣ ବିହନ ଉତ୍ପାଦନରେ ସକ୍ଷମ ହେଉଥିଲା । ହେଲେ ଗତ ଖରିଫ ଋତୁରେ ଧାନ ବିହନ ସଂଗ୍ରହ କରାଯାଇ ପାରିଲା ନାହିଁ । ନିୟମ ଅନୁଯାୟୀ ଯେଉଁ ଚାଷୀମାନେ ନିଗମକୁ ବିହନ ବିକ୍ରି କରିବେ ସେମାନେ ବିହନ ଦେବାର ମାସକ ମଧ୍ୟରେ ପ୍ରଥମ କିସ୍ତି ଅର୍ଥ ପାଇବେ ।

ହେଲେ ଗତ ଡିସେମ୍ବର ମାସରୁ ବିହନ ଦେଇଥିବା ଅନେକ ଚାଷୀ ଏବେ ବି ଏହି ଅର୍ଥ ପାଇପାରିନାହାନ୍ତି । ସେହିଭଳି ପ୍ରଥମଥର ଲାଗି ବିହନ ନିଗମ ଚାଷୀଙ୍କ ଠାରୁ ବିହନ ଅଖା ବାବଦ ଅର୍ଥ ଆଦାୟ କରିଥିଲା । ତେଣୁ ଅନେକ ବିହନ ଚାଷୀ ବିରକ୍ତ ହୋଇ ନିଗମକୁ ବିହନ ବ୍ରିକି କରିନାହାନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଚାଷୀଙ୍କ ପାଇଁ ଅତି କମ୍‍ରେ ୬ଲକ୍ଷ କୁଇଣ୍ଟାଲ ପ୍ରମାଣିକ ଧାନ ବିହନ ଆବଶ୍ୟକ ଥିବାବେଳେ ନିଗମ ନିକଟରେ ୨ଲକ୍ଷ କୁଇଣ୍ଟାଲରୁ ସାମାନ୍ୟ ଅଧିକ ବିହନ ରହିଛି । ତାହା ସମୁଦ୍ରକୁ ଶଙ୍ଖେ ହୋଇଥିବାରୁ ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ରୀୟ ବିହନ ନିଗମରୁ ୫୦ ହଜାର କୁଇଣ୍ଟାଲ ବିହନ ଅଣାଯାଉଛି ।

ପରବର୍ତ୍ତୀ ସମୟରେ ବାହାର ରାଜ୍ୟରୁ ଧାନ ବିହନ ଆଣିବାପାଇଁ ମସୁଧା ହେଉଥିବାର ସୂଚନା ମିଳିଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ବିହନ ସଂଗ୍ରହପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିଥିଲେ ମଧ୍ୟ ନିଗମ କର୍ତ୍ତୃପକ୍ଷ ସେଥିରୁ ଲାଭ ଉଠାଇ ପାରୁନାହାନ୍ତି ।

ଗୋଟିଏ ପଟେ ଉନ୍ନତମାନର ବିହନ ଚାଷପାଇ ସରକାର ବିହନଚାଷୀମାନଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦେଉଥିବାବେଳେ ସେମାନଙ୍କ ଉତ୍ପାଦିତ ବିହନ ଠିକଣା ସମୟରେ ଖରିଦ କରୁନାହାନ୍ତି । ବିହନ ଚାଷ କରି ଚାଷୀମାନେ ହଇରାଣ ହେବାପରେ କ୍ଷତି ହେଲେବି ତାହାକୁ ବେପାରୀଙ୍କ ହାତରେ ଟେକି ଦେଉଛନ୍ତି ।

କେନ୍ଦ୍ର ସରକାର ବିହନ ଉତ୍ପାଦନ ପାଇଁ ଅର୍ଥ ଦେଉଥିଲେ ମଧ୍ୟ କାହିଁକି ବିହନ ସଂଗ୍ରହ ହୋଇପାରୁନାହିଁ ସେ ସଂକ୍ରାନ୍ତରେ ଭାରତର ମହାଲେଖାକାର ଅଡିଟ୍‍ ଚଳାଇଥିବା ଜଣାଯାଇଛି ।

ତେଣୁ ରାଜ୍ୟରେ ଚଳିତବର୍ଷ ଚାଷୀଙ୍କୁ ଉନ୍ନତମାନର ଧାନ ବିହନ ମିଳିବାରେ ଯେଉଁ ସଙ୍କଟ ଦେଖା ଦେଇଛି ତାହା ଧାନ ଉତ୍ପାଦନ ଉପରେ ପ୍ରତିକୂଳ ପକାଇବ ବୋଲି ଚାଷୀମାନେ ମତ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here