ଏଠି ସାରାରାତି ଜୁଇ ନିକଟରେ ନାଚନ୍ତି ରୂପଜୀବୀ

0
93

ସାଧାରଣତଃ ଶୋକାକୂଳ ପରିବେଶରେ ମୃତ ବ୍ୟକ୍ତିଙ୍କର ଶବ ସତ୍କାର କରାଯାଇଥାଏ। ହେଲେ କାଶୀରେ ଥିବା ଏକ ଶ୍ମଶାନରେ ଜୁଇ ନିକଟରେ ସାରାରାତି ରୂପଜୀବୀଙ୍କ ଘୁଙ୍ଗୁର ଶବ୍ଦ ଶୁଭିବା ସହ ଉଚ୍ଚ ସ୍ବରରେ ରେକର୍ଡ ଗୀତ ମଧ୍ୟ ବାଜିଥାଏ। କାଶୀର ପ୍ରସିଦ୍ଧ ମଣିକର୍ନିକା ଘାଟରେ ଚିତାଗ୍ନି କେବେ ଲିଭି ନ ଥାଏ। କୁହାଯାଏ ଏଠାରେ ସଂସ୍କାର କରାଯାଉଥିବା ମୃତବ୍ୟକ୍ତିଙ୍କର ସିଧା ମୋକ୍ଷ ପ୍ରାପ୍ତି ହୋଇଥାଏ। ତେବେ ବର୍ଷର ଗୋଟିଏ ଦିନ ଏଠାରେ ଜୁଇ ଜଳୁଥିବା ବେଳେ ନାଚଗୀତର ମାହୋଲ ଜମିଥାଏ। ଚୈତ୍ର ନବରାତ୍ରୀ ଅଷ୍ଟମୀ ଦିନ ମଣିକର୍ନିକା ଘାଟରେ ଦେଖିବାକୁ ମିଳେ ଏମିତି ଦୃଶ୍ୟ। କେବଳ ରୂପଜୀବୀମାନେ ହିଁ ଏଠାରେ ନୃତ୍ୟ କରିଥାଆନ୍ତି। ଏଥିପାଇଁ ନା ସେମାନଙ୍କୁ ପାରିଶ୍ରମିକ ମିଳିଥାଏ ନା ଏମାନଙ୍କୁ ଜୋରଜବରଦସ୍ତ ଏଠାରେ ନାଚିବାକୁ ବାଧ୍ୟ କରାଯାଇଥାଏ। ବରଂ ସେମାନେ ସ୍ବତଃପ୍ରବୃତ୍ତ ଭାବେ ଏଠାରେ ନାଚିବାକୁ ଆସିଥାଆନ୍ତି। ଏଠାରେ ରାତିସାରା ମନଭରି ନାଚିଲେ କୁଆଡେ ପର ଜନ୍ମରେ ରୂପଜୀବୀର କଳଙ୍କ ଏମାନଙ୍କଠାରେ ଲାଗି ନ ଥାଏ ବୋଲି ବିଶ୍ୱାସ ରହିଛି। ତେବେ ଶ୍ମଶାନ ନିକଟରେ ଥିବା ଶିବ ମନ୍ଦିରରେ ସହରର ବିଭିନ୍ନ ସ୍ଥାନରୁ ଆସିଥିବା ରୂପଜୀବୀମାନେ ମଧ୍ୟ ଏକାଠି ହୋଇଥାଆନ୍ତି। ଚୈତ୍ର ନବରାତ୍ରୀ ଅଷ୍ଟମୀ ଦିନ ମଧ୍ୟ ଉକ୍ତ ଶିବ ମନ୍ଦିରରେ ଶିବଙ୍କ ସାମ୍ନାରେ ନୃତ୍ୟ କଲେ ପରଜନ୍ମରେ ଏମାନେ ରୂପଜୀବୀ ହୋଇ ନ ଥାଆନ୍ତି ବୋଲି ରହିଛି ବିଶ୍ୱାସ। ଅବଶ୍ୟ ଏଠାକୁ ଆସିଥିବା ରୂପଜୀବୀମାନେ ନିଜକୁ ଭାଗ୍ୟବାନ୍‌ ମନେ କରିଥାଆନ୍ତି ବୋଲି ସେମାନେ କୁହନ୍ତି।

LEAVE A REPLY

Please enter your comment!
Please enter your name here