କିଏ କହିବ ବୟସଟା ଅମାନିଆ କାହିଁକି … ପରୀକ୍ଷାରେ ଲେଖିଲେ ୯୦ ବର୍ଷିୟା ଆଦିବାସୀ ମହିଳା

0
58

ଥିରୁଭାନଥପୁରମ୍: ୯୦ଟି ଫଗୁଣ ଦେଖିଲେଣି । ଭାରତୀୟ ହାରାହାରି ପରମାୟୁ ଅନୁସାରେ ଦ୍ୱିତୀୟ ଜନ୍ମ ବି ହୋଇ ସାରନ୍ତାଣି । ତଥାପି ଶିକ୍ଷିତ ହେବାର ଯୋସ୍ କୁ ଭୁଲି ପାରିନାହାନ୍ତି ଆଦିବାସୀ ମହିଳା ମାକ୍କା । ଆଦିବାସୀଙ୍କ ଶିକ୍ଷାରେ ସେ ପ୍ରେରଣାର ଉତ୍ସ ହେବାକୁ ପଣ କରିଛନ୍ତି । ଏଥିପାଇଁ ୯୦ ବୟସ ଛୁଇଁଲେ ବି ହାତରେ କଲମ ଧରି ପରୀକ୍ଷା ଦେଇଛନ୍ତି । ଆଖି , ହାତ ଅମଙ୍ଗ ଥିଲେ ବି ପରୀକ୍ଷା ପାଇଁ ‘ମନ’ ମାକ୍କାଙ୍କୁ ଯୁବତୀ କରିଦେଇଛି ।

ମାକ୍କା କେରଳ ମୁପ୍ପାଇନଡର ଅମ୍ବାଲାକ୍କୁନ୍ନୁ ବସତିର ବାସିନ୍ଦା । ତାଙ୍କ ନାମ ମାକ୍କା (୯୦) । କେରଳ ରାଜ୍ୟ ସାକ୍ଷର ଅଭିଯାନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ‘ସାକ୍ଷତରା କାର୍ଯ୍ୟକ୍ରମ’ ୱେନାଡ଼ ଜିଲ୍ଲା ବସ୍ତି ଗୁଡିକରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୪ ହଜାର ୫୦୦ ଆଦିବାସୀ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷାରେ ଅଂଶଗ୍ରହଣ କରିବା ପ୍ରାର୍ଥୀଙ୍କ ମଧ୍ୟରୁ ମାକ୍କା ସବୁଠାରୁ ବୟସ୍କା ଏବଂ ଲକ୍ଷ୍ମୀ(୧୬) ସବୁଠାରୁ କନିଷ୍ଠା ଥିଲେ । ଗତ ୨୨ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପଠନ, ଲିଖନ ଏବଂ ଗଣିତ ମଡୁଲ୍ରେ ଏହି ପରୀକ୍ଷା ହୋଇଥିଲା । ପାଠ ସାଗଂକୁ ଭ୍ରମଣ ଏବଂ କଳାକାରଙ୍କ ସହ ମଜାମସ୍ତି ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲା ।

ଏହି ପରୀକ୍ଷା ୨୮୩ଟି ବସ୍ତିରେ ଅନୁଷ୍ଠିତ ହୋଇଥିଲା । ଆଦିବାସୀଙ୍କ ମଧ୍ୟରେ ନିରକ୍ଷରତା ଦୂର କରିବା ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟ ନେଇ ଏହି ସାକ୍ଷର ଅଭିଯାନ ଆରମ୍ଭ ହୋଇଥିଲା । ଅନୁଷ୍ଠିତ ୧୦୦ ମାର୍କ ବିଶିଷ୍ଟ ପରୀକ୍ଷାରେ ଯେଉଁମାନେ କୃତକାର୍ଯ୍ୟ ହେବେ ସେମାନେ ୪ ର୍ଥ ଶ୍ରେଣୀ ସମକକ୍ଷ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାରେ ଯୋଗ୍ୟ ବିବେଚିତ ହେବେ ବୋଲି ଆୟୋଜନ ସଂସ୍ଥା ପକ୍ଷରୁ କୁହାଯାଇଛି ।

ପରୀକ୍ଷା ଦେଇଥିବା ୪, ୫୧୬ ଜଣଙ୍କ ମଧ୍ୟରୁ ୩ ହଜାର ୫୯୮ ଜଣ ମହିଳା ବୋଲି ମିସନ ନିଦେ୍ର୍ଦଶକ ପିଏସ୍ ଶ୍ରୀକଳା ସୂଚନା ଦେଇଛନ୍ତି । ୩ ମାସ ବ୍ୟାପୀ ଏହି କାର୍ଯ୍ୟକ୍ରମର ପ୍ରତି ବସ୍ତିରେ ଦୁଇ ଜଣ ପ୍ରଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଆଦିବାସୀମାନଙ୍କୁ ଏମାନେ ପ୍ରଶିକ୍ଷଣ ପ୍ରଦାନ କରୁଥିଲେ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ନିରକ୍ଷର ଆଦିବାସୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଶିକ୍ଷା ହେବା ସହ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ୍ୟ ରହଥିଲା ।

ବିଦ୍ୟାଳୟ ଛାଡୁଥିବା ଆଦିବାସୀ ପିଲାଙ୍କ ସଂଖ୍ୟାକୁ ହ୍ରାସ କରିବା , ବୟସ୍କ ଲୋକମାନଙ୍କୁ ସାକ୍ଷର କରିବା ଏବଂ ସେମାନେ ସେମାନଙ୍କ ପିଲାଙ୍କୁ ବିଦ୍ୟାଳୟ ପଠାଇବା ପାଇଁ ସଚେତନ କରାଇବା, ନିଶା ସେବନରୁ ବାରଣ କରିବା ଏବଂ ସେମାନଙ୍କ ପୋଷାକ ପରିଧାନରେ ପରିବର୍ତ୍ତନ ଆଣିବା ଆଦି ପ୍ରସଂଗରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଶ୍ରୀକଳା କହିଛନ୍ତି । ଗତ ବର୍ଷ ସେପ୍ଟେମ୍ବରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ସାକ୍ଷରତା ହାର ୮୯.୦୩ ରହିଛି ।

LEAVE A REPLY

Please enter your comment!
Please enter your name here