ହସ୍ତଶିଳ୍ପ ଓ ହସ୍ତତନ୍ତରେ ନିୟୋଜିତ କାରିଗରର ଦୈନିକ ଉପାର୍ଜନ ୫୦ ଟଙ୍କାରୁ କମ୍

0
40

ଭୁବନେଶ୍ୱର: ଉତ୍କର୍ଷ କଳାର ରାଜ୍ୟ ବୋଲି ଓଡ଼ିଶାର ଅନ୍ୟ ନାମ ଉତ୍କଳ ହୋଇଥିବା ବେଳେ ଏଠାରେ ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରରେ ନିୟୋଜିତ କାରିଗରଙ୍କ ଦୈନିକ ହାରାହାରି ଉପାର୍ଜନ ୫୦ ଟଙ୍କାରୁ କମ୍। ଏହା ଅବିଶ୍ୱାସନୀୟ ହେଲେ ମଧ୍ୟ ସରକାରୀ ରିପୋର୍ଟ ଅନୁଯାୟୀ ସତ୍ୟ। ଏ ପ୍ରସଙ୍ଗରେ ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଯେଉଁ ବିସ୍ତୃତ ତଥ୍ୟ ଦେଇଛନ୍ତି ତାହାର ବିଶ୍ଳେଷଣରୁ ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ସମ୍ପର୍କରେ ଏହି ରୁଗ୍ଣ ଚିତ୍ର ଜଣାପଡ଼ିଛି।

ମନ୍ତ୍ରୀ କହିଛନ୍ତି ଯେ ୨୦୦୧-୦୨ରେ ହୋଇଥିବା ଗଣନା ଅନୁଯାୟୀ ଓଡ଼ିଶାରେ ୧, ୨୯, ୯୫୮ ଜଣ କାରିଗର ଥିଲେ। ଏହାର ସଂଖ୍ୟା ବର୍ତ୍ତମାନ କେତେ ସେ ସଂକ୍ରାନ୍ତରେ ସେ କିଛି ଉଲ୍ଲେଖ କରିନାହାନ୍ତି। ତେବେ ୨୦୧୪-୧୫ ବର୍ଷରେ ଓଡ଼ିଶାରେ ୧୦୫ କୋଟି ୪୫ ଲକ୍ଷ ଟଙ୍କାର ହସ୍ତଶିଳ୍ପ ସାମଗ୍ରୀ ଉତ୍ପାଦିତ ହୋଇଥିବା ବେଳେ ଉକ୍ତ ବର୍ଷ ବିଦେଶକୁ ମାତ୍ର ୮୩ ଲକ୍ଷ ଟଙ୍କାର ସାମଗ୍ରୀ ରପ୍ତାନି ହୋଇଥିଲା ଏବଂ ଓଡ଼ିଶା ବାହାରେ ଉତ୍କଳିକା ମାଧ୍ୟମରେ ୨ କୋଟି ଟଙ୍କାର ବିକ୍ରି ହୋଇଥିଲା। ୨୦୧୬-୧୭ ବର୍ଷରେ ଓଡ଼ିଶାରେ ୧୨୦ କୋଟି ୫୬ ଲକ୍ଷ ଟଙ୍କାର ହସ୍ତଶିଳ୍ପ ସାମଗ୍ରୀ ଉତ୍ପାଦିତ ହୋଇଥିବା ବେଳେ ଉକ୍ତ ବର୍ଷରେ ବିଦେଶକୁ ୧୯୪ ଲକ୍ଷ ଟଙ୍କାର ରପ୍ତାନି ହୋଇଛି ଏବଂ ଉକ୍ତ ବର୍ଷରେ ଅନ୍ୟ ରାଜ୍ୟରେ ଥିବା ଉତ୍କଳିକା ଶାଖା ମାଧ୍ୟମରେ ୨୦୬ ଲକ୍ଷ ଟଙ୍କାର ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ହୋଇଛି। ୨୦୧୬-୧୭ର ଉତ୍ପାଦିତ ହସ୍ତଶିଳ୍ପ ସାମଗ୍ରୀକୁ ହିସାବକୁ ନେଲେ ଓଡ଼ିଶାରେ ହସ୍ତଶିଳ୍ପ କ୍ଷେତ୍ରରୁ ନିୟୋଜିତ କାରିଗରଙ୍କ ଦ୍ୱାରା ଦୈନିକ ଉତ୍ପାଦନର ପରିମାଣ ମାତ୍ର ୨୫ ଟଙ୍କା ୪୧ ପଇସାରେ ସୀମିତ।

ସେହିପରି ମନ୍ତ୍ରୀଙ୍କ ପ୍ରଦତ୍ତ ଉତ୍ତରରେ ଦର୍ଶାଯାଇଛି ଯେ ୨୦୦୯-୧୦ରେ ହସ୍ତତନ୍ତ ସୁମାରି ଅନୁଯାୟୀ ଓଡ଼ିଶାରେ ୧, ୦୩, ୧୫୮ ଜଣ ହସ୍ତତନ୍ତ ବୁଣାକାର ଅଛନ୍ତି ଏବଂ ସେମାନଙ୍କ ପରିବାର ସଂଖ୍ୟା ୪୦, ୬୮୩। ୨୦୧୪-୧୫ ବର୍ଷରେ ରାଜ୍ୟରେ ୨୦୫ କୋଟି ୬୬ ଲକ୍ଷ ଟଙ୍କା ମୂଲ୍ୟର ହସ୍ତତନ୍ତ ସାମଗ୍ରୀ ଉତ୍ପାଦିତ ହୋଇଥିବା ବେଳେ ଏଥିରୁ ବିଦେଶକୁ ୮୪ ଲକ୍ଷ ଟଙ୍କାର ସାମଗ୍ରୀ ରପ୍ତାନି ହୋଇଥିଲା ଓ ରାଜ୍ୟ ବାହାରେ ୧୧ କୋଟି ୩୩ ଲକ୍ଷ ଟଙ୍କାର ବିକ୍ରି ହୋଇଥିଲା। ୨୦୧୬-୧୭ ବର୍ଷରେ ରାଜ୍ୟରେ ୨୩୬ କୋଟି ୯୬ ଲକ୍ଷ ଟଙ୍କା ମୂଲ୍ୟର ହସ୍ତତନ୍ତ ସାମଗ୍ରୀ ଉତ୍ପାଦିତ ହୋଇଥିବା ବେଳେ ମାତ୍ର ୨ କୋଟି ୪୦ ଲକ୍ଷ ଟଙ୍କାର ସାମଗ୍ରୀ ବିଦେଶକୁ ରପ୍ତାନି କରାଯାଇଥିଲା ଓ ରାଜ୍ୟ ବାହାରେ ୬ କୋଟି ୬୯ ଲକ୍ଷ ଟଙ୍କାର ବିକ୍ରି ହୋଇଥିଲା। ଉକ୍ତ ବର୍ଷର ଉତ୍ପାଦନକୁ ହିସାବକୁ ନେଲେ ଓଡ଼ିଶାରେ ଜଣେ ବୁଣାକାରଙ୍କ ମୁଣ୍ଡପିଛା ଦୈନିକ ହାରାହାରି ଉତ୍ପାଦନର ପରିମାଣ ୬୨ ଟଙ୍କା ୯୩ ପଇସାରେ ସୀମିତ ରହୁଛି।

ରାଜ୍ୟର ଜିଏସ୍ଡିପି ଓ ଏନ୍ଏସ୍ଡିପିକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରରୁ କେତେ ପ୍ରତିଶତ ଆସୁଛି ସେ ସଂକ୍ରାନ୍ତରେ ବିଧାୟକ ଶ୍ରୀ ରାୟଙ୍କ ପ୍ରଶ୍ନ କରିଥିଲେ ମଧ୍ୟ ଏହି ବିବରଣୀ ତାଙ୍କ ବିଭାଗର କାର୍ଯ୍ୟ ପରିସରଭୁକ୍ତ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।

ଓଡ଼ିଶାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ପାଇଁ ଅନୁକୂଳ ଭିତ୍ତିଭୂମି ଥିବା ବେଳେ ତାହାର ଠିକଣା ଉପଯୋଗ ହୋଇପାରୁନାହିଁ ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ କହିଛନ୍ତି। ଏହି କ୍ଷେତ୍ର ପ୍ରତି ଠିକଣା ଗୁରୁତ୍ୱ ଓ ପ୍ରୋତ୍ସାହନ ଦିଆଯିବା ସହିତ ସର୍ବନିମ୍ନ ଭିତ୍ତିଭୂମି ଯୋଗାଇ ଦିଆଗଲେ ରାଜ୍ୟରେ ୨୦ ଲକ୍ଷରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଅନଗ୍ରସର ଓଡ଼ିଶାକୁ ଆଗୁଆ ରାଜ୍ୟରେ ପରିଣତ କରିବା କ୍ଷେତ୍ରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇପାରିବ ବୋଲି ଶ୍ରୀ ରାୟ ଉଲ୍ଲେଖ କରିଛନ୍ତି।

LEAVE A REPLY

Please enter your comment!
Please enter your name here