ତୁଣ୍ଡ ଖୋଲିଲେ ଚନ୍ଦ୍ରଶେଖର

0
197

ବ୍ରହ୍ମପୁର: ଆସନ୍ତା ୪ ତାରିଖରେ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଖେଳପଡିଆରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲାର ବହୁ ବରିଷ୍ଠ କଂଗ୍ରେସ ନେତା ଓ ୨୦ ହଜାର କର୍ମୀ ବିଜେଡିରେ ଯୋଗଦେବେ । କଂଗ୍ରେସ ଛାଡିଲା ପରେ ଆଜି ପ୍ରଥମଥର ଲାଗି ଶ୍ରୀ ସାହୁ ତାଙ୍କ ରାଜନୈତିକ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ମୁହଁ ଖୋଲିଛନ୍ତି । ବ୍ରହ୍ମପୁରର ଗଜପତି ନଗରସ୍ଥିତ କଂଗ୍ରେସ ନେତା ବିକ୍ରମ ପଣ୍ଡାଙ୍କ ବାସଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାହୁ କହିଲେ ଯେ ତାଙ୍କ ସମେତ ବହୁ କଂଗ୍ରେସ ନେତା ଦଳରୁ ଇସ୍ତଫା ଦେଇଛନ୍ତି ଓ ତାଙ୍କ ଇସ୍ତଫାପତ୍ର ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନିକଟକୁ ପଠାଇଦିଆଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ, ଯୁବ ନେତା ବିକ୍ରମ ପଣ୍ଡା, ନଗର କଂଗ୍ରେସ ସଭାପତି ସଂଜୀତ ପାଣିଗ୍ରାହୀ, ଯୁବ କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ସାହୁ, ଛାତ୍ରକଂଗ୍ରେସର ତାପସ ସାହୁ, ମହିଳା କଂଗ୍ରେସ କର୍ମକର୍ତ୍ତା, ବ୍ରହ୍ମପୁର ମହାନଗର ନିଗମର ୧୧ କର୍ପୋରେଟରଙ୍କ ସହ ଗଞ୍ଜାମ ଓ ଗଜପତି ଜିଲ୍ଲାର ୨୦ ହଜାର କଂଗ୍ରେସ କର୍ମକର୍ତ୍ତା ବିଜେଡିରେ ଯୋଗଦେବେ । ବ୍ରହ୍ମପୁର ଷ୍ଟାଡିୟମରୁ ଏକ ବିରାଟ ଶୋଭାଯାତ୍ରାରେ ସେମାନେ ଖଲିକୋଟ ପଡିଆରେ ପହଞ୍ଚôବା ପରେ ବିଜେଡି ରାଜ୍ୟସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆୟୋଜିତ ମିଶ୍ରଣ ପର୍ବରେ ଆନୁଷ୍ଠାନିକଭାବେ ଯୋଗଦେବୁ । ବ୍ରହ୍ମପୁର ସହର ତଥା ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆମର ଶୁଭେଚ୍ଛୁମାନଙ୍କ ସହ ବୈଠକ କରି ସେମାନଙ୍କ ମତାମତ ସଂଗ୍ରହ କରିଥିଲୁ । ମତାମତରେ ଆମକୁ ନିଜର ମାଟି ପାଇଁ କିଛି କରିବାକୁ ହେଲେ ବିଜେଡିରେ ସାମିଲ ହେବାକୁ ଶୁଭେଚ୍ଛୁ ଓ କଂଗ୍ରେସ କର୍ମକର୍ତ୍ତାମାନେ ପରାମର୍ଶ ଦେଇଥିଲେ । ସେମାନଙ୍କ ମତାମତ ଅନୁଯାୟୀ କଂଗ୍ରେସରୁ ଇସ୍ତଫା ଦେଇଥିଲୁ । ସମସ୍ତଙ୍କ ମତକୁ ସମ୍ମାନ ଜଣାଇ ବିଜେଡି ରାଜ୍ୟସଭାପତିଙ୍କ ସହ ଆଲୋଚନା ପରେ ସନ୍ତୁଷ୍ଟ ହୋଇ ବିଜେଡିରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିବା ସେ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ ନେତା ବନମାଳି ସେଠୀ, ଶୂନ୍ୟ ଦାସ, ଦୁର୍ଗାପ୍ରସାଦ ପଣ୍ଡା, ଆଦିତ୍ୟ ପଟ୍ଟନାୟକଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here