ଆମ ମୁଖ୍ୟମନ୍ତ୍ରୀ ନଂ ୧

0
161

ପୁନେ:  ଆଉଟଲୁକ୍‌ ପତ୍ରିକା ପକ୍ଷରୁ ଗତବର୍ଷ ଶ୍ରେଷ୍ଠ ପ୍ରଶ।ସକ  ସମ୍ମାନ ପାଇବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନରେ ସମ୍ମାନିତ କରିଛି ପୁନେରେ ଭାରତୀୟ ଛାତ୍ର ସଂସଦ। ନବୀନଙ୍କୁ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ଏହି ସମ୍ମାନ ପ୍ରଦାନ କରିଛନ୍ତି ।ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ, ୟୁନେସ୍କୋ ମାନବାଧିକାର ବେଞ୍ଚ ଓ ଆଇଏମଟି ସ୍କୁଲ ଅଫ ଗଭର୍ଣ୍ଣାନ୍ସ ପକ୍ଷରୁ ମିଳିତ ଭାବରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଉଟଲୁକ ମାଗାଜିନ ପକ୍ଷରୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନ ପ୍ରଦାନ କରାଯାଇଥିଲା।

ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ନବୀନ ପଟ୍ଟନାୟକ ଏହାକୁ ଓଡିଶା ବାସୀଙ୍କୁ ଉତ୍ସଗ କରିଛନ୍ତି । ଓଡିଶା ବାସୀଙ୍କ ଭଲ ପାଇବା ଯୋଗୁଁ ସେ ଏହା ପାଇଥିବା କହିଛନ୍ତି । ରାଜନୀତି ଏକ କଠିନ କାମ ନୁହେଁ ସମସ୍ତଙ୍କୁ ସେ ରାଜନୀତିକୁ ସ୍ୱାଗତ କରିଥିଲେ । ସେ ମାର୍ଟିନ ଲୁଥର କିଙ୍ଗ ସହ  ମହାତ୍ମାଗାନ୍ଧୀ ଓ ବିଜୁ ବାବୁଙ୍କର ଉଦାହରଣ ଦେଇଥିଲେ । ଶେଷରେ ବନ୍ଦେ ଉତ୍କଳ ଜନନୀ ଓ ଜୟ ହିନ୍ଦ କହି ମୁଖ୍ୟମନ୍ତ୍ରୀ ନିଜର ଉଦ୍‌ବୋଧନ ଶେଷ କରିଥିଲେ । ଏହି ଉତ୍ସବରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । 

 ଅଷ୍ଟମ ଭାରତୀୟ ଛାତ୍ର ସଂସଦ ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ଭାବେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂହ ପାଟିଲ ସମ୍ବର୍ଦ୍ଧିତ କରିଛନ୍ତି  ।  ବିସିଏସ୍‌ ଫାଉଣ୍ଡେସନର ପରିଚାଳନା ପରିଷଦରେ ଥିବା ବହୁ ଲବ୍ଧପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏହି ସମ୍ମାନଜନକ ପୁରସ୍କାର ପାଇଁ ଯୋଗ୍ୟ ବ୍ୟକ୍ତି ମନୋନୀତ କରିଥାନ୍ତି । ଏଥିରେ ବିଶିଷ୍ଟ ଶିକ୍ଷାବିତ୍‌ ବିଶ୍ୱନାଥ ଡି. କରଡ ପ୍ରତିଷ୍ଠାତା ସଭାପତି ଭାବେ ରହିଥିବାବେଳେ ପ୍ରତିଷ୍ଠିତ ବୈଜ୍ଞାନିକ ଆର୍‌ ଏ ମାର୍ସେଲକର, ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୋଗ ଟି ଏନ୍‌ ଶେଷାନ,ସମାଜସେବୀ ତୁଷାର ଗାନ୍ଧି, ପ୍ରଖ୍ୟାତ୍‌ ସାମ୍ବାଦିକ, ସ୍ତମ୍ଭକାର ଓ ଲେଖକ ମାର୍କ ତୁଲ୍ଲୀ ପ୍ରମୁଖ ମନୋନୀତ କମିଟିରେ ସଦସ୍ୟ ଭାବେ ରହିଛନ୍ତି ।

 ଏହି ପୁରସ୍କାର ମନୋନୀତ ବେଳେ ମନୋନୟନକାରୀ ରାଜ୍ୟର ବିକାଶ, ଅର୍ଥନୈତିକ ଅଭିବୃଦ୍ଧି, ଦୁର୍ନୀତି ନିବାରଣ ପାଇଁ ବଳିଷ୍ଠ ପଦକ୍ଷେପ, ପ୍ରଶାସନିକ ସ୍ୱଚ୍ଛତା, ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଗୋଟିଏ ତରାଜୁରେ ତଉଲିବା ଭଳି ବିଭିନ୍ନ ମାପଦଣ୍ଡକୁ ନେଇ ବିଚାର କରିଥାନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି, ରାଜ୍ୟର ସାମଗ୍ରିକ ବିକାଶ ଏବଂ ଅଭିବୃଦ୍ଧି କ୍ଷେତ୍ରରେ ତାଙ୍କର ଭୂମିକା ସହିତ ନିଜକୁ ଜଣେ ସଚ୍ଚୋଟ ଓ ନିର୍ବିବାଦୀୟ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିଥିବାରୁ ମନୋନୟନକାରୀମାନେ ତାଙ୍କୁ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରିଛନ୍ତି ।
 
ପୁନେର କୋର୍ଥୁଡଠାରେ ଭାରତୀୟ ଛାତ୍ର ସଂସଦ ପକ୍ଷରୁ ଅନୁଷ୍ଠିତ   ଏହି ତିନିଦିନିଆ ସମ୍ମିଳନୀରେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ୧୦ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇଛନ୍ତି  । କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ, ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ମନ୍ତ୍ରାଳୟ ଏବଂ କ୍ରୀଡା ଓ ଯୁବକଲ୍ୟାଣ ମନ୍ତ୍ରାଳୟ ସହିତ ମହାରାଷ୍ଟ୍ର ସରକାରଙ୍କ ମିଳିତ ସହାୟତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here