ଦକ୍ଷିଣ ଓଡ଼ିଶା, ଉପକୂଳରେ ବର୍ଷା ସମ୍ଭାବନା: ୧୫ରୁ ବଢ଼ିବ

0
189

ଭୁବନେଶ୍ୱର, ୧୨।୧୧(ବ୍ୟୁରୋ)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ସୋମବାରଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ। ୧୩ରୁ ୧୫ ତାରିଖ ଯାଏ ଦକ୍ଷିଣ ଓଡ଼ିଶା ଏବଂ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ୧୩ ତାରିଖରୁ ଅଳ୍ପ ବର୍ଷା ହେବାକୁ ଥିବାବେଳେ ୧୫ ତାରିଖ ବେଳକୁ ବର୍ଷା ପରିମାଣ ବୃଦ୍ଧି ପାଇବ। ବିଶେଷକରି ଉପକୂଳ ଓଡ଼ିଶା ଓ ଏହାର ଆଖପାଖ ଜିଲାରେ ଅଧିକ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୧୪ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡ଼ା ଓ କୋରାପୁଟ ଜିଲାର କେତେକ ସ୍ଥାନରେ ବର୍ଷା ହେବ। ୧୫ତାରିଖ ବେଳକୁ ଉପକୂଳ ଓଡ଼ିଶାର କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲାରେ ବର୍ଷା ହେବ। ୧୬ରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ପୁରୀ, କଟକ, ଖୋର୍ଦ୍ଧା ଜିଲାରେ ବର୍ଷା ହେବାର ସମ୍ଭାବନା ରହିଥିବା କେନ୍ଦ୍ର ପୂର୍ବାନୁମାନ କରିଛି। ବର୍ଷା ସମ୍ଭାବନା ଥିବାରୁ ଓୟୁଏଟି ପକ୍ଷରୁ ଶନିବାର ଚାଷ ଓ ଚାଷୀଙ୍କ ପାଇଁ ସତର୍କତାମୂଳକ ପରାମର୍ଶ ଜାରି କରାଯାଇଥିଲା। ଅନ୍ୟପଟେ ରାଜ୍ୟରେ ଶୀତର ପ୍ରକୋପ ମଧ୍ୟ ରହିଛି। ରବିବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୧.୬ ଡିଗ୍ରୀ ସେଲସିୟସ୍‌ ରହିଥିବା ବେଳେ ସମ୍ବଲପୁର ୧୪.୮, ହୀରାକୁଦ ୧୩.୩, ଓ ଦାରିଙ୍ଗବାଡ଼ିରେ ୧୪ ଡିଗ୍ରୀ ରହିଥିଲା। ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ ଆଦି ୪ ଜିଲାରେ ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ ସେଲସିୟସ ରହିଥିଲା।

LEAVE A REPLY

Please enter your comment!
Please enter your name here