ଲଗାଣ ବର୍ଷାରେ ୪ ଜିଲ୍ଲାରେ ସ୍ଥିତି ସଙ୍ଗୀନ

0
24

ଭୁବନେଶ୍ବର: ଗତ ୨୪ ଘଣ୍ଟା ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଅନେକ ସ୍ଥାନରେ ବନ୍ୟାପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷାରେ ପୁଣି ବେହାଲ୍‌ ହୋଇପଡ଼ିଛି ମାଲାକାନଗିରି। ଲଗାଣ ବର୍ଷା ଯୋଗୁଁ ବାହ୍ୟଜଗତରୁ ବିଛିନ୍ନ ହୋଇଛି ମାଲକାନଗିରି ଜିଲ୍ଲା। ପ୍ରବଳ ବର୍ଷା ଯୋଗୁଁ ପୋଟେରୁ, କାଙ୍ଗୁରକୋଣ୍ଡା ପୋଲ ଉପରେ ୩ରୁ ୫ ଫୁଟ୍‌ ଉଚ୍ଚର ପାଣି ପ୍ରବାହିତ ହେଉଛି। ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି । ସେହିପରି କୋରୁକୋଣ୍ଡା ଓ ତାଲାକୋଟା ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି। ମାଲକାନଗିରି ବାଲିମେଳାକୁ ଯୋଗାଯୋଗ ବିଛିନ୍ନ ହୋଇଛି। ବିଭିନ୍ନ ସ୍ଥାନରେ ଅଗ୍ନିଶମ ଓ ଓଡ୍ରାଫ ଟିମ୍ ମୁତୟନ କରାଯାଇଛି। ବନ୍ୟା ସମ୍ଭାବିତ ଅଞ୍ଚଳଳରେ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଛନ୍ତି। ସାବେରୀ ନଦୀ ମଧ୍ୟ ଫୁଲି ମୋଟୁ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ସେହିପରି କାଲିମେଳାରେ ପ୍ରବଳ ବର୍ଷା ଲାଗିରହିଛି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବନ୍ୟା ଜଳ ପ୍ରଭାହିତ ହେଉଛି। ଫଳରେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି କାଲିମେଳା। ପାଣିପାଗ ବିଭାଗ ପକ୍ଷରୁ ମାଲକାନଗିରି ଜିଲ୍ଲାରେ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ଷା ପାଇଁ ଜିଲ୍ଲାପାଳ ସ୍କୁଲ୍‌ କଲେଜ ଛୁଟି ଘୋଷଣା କରିଛନ୍ତି।

ସେହିପରି ରାୟଗଡ଼ାରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁ ରାୟଗଡ଼ା ଜିଲ୍ଲାର ଗୁଡ଼ାରୀ ସହର ଜଳବନ୍ଦୀ ହୋଇପଡ଼ିଛି। ବନ୍ୟା ଜଳ ନିଷ୍କାସିତ ହୋଇ ନ ପାରି ଅନେକ ସ୍ଥାନରେ ପାଣି ଜମି ରହିଛି। ହାଟ ମୁନିଗାଡ଼ା ବ୍ଳକ୍‌ର ମାଳିଶିରିପୁର-ପରିଡ଼ିଗୁଡ଼ା ରାସ୍ତାରେ ଏକ ପୋଲ ଧୋଇ ହୋଇଯାଇଛି। ଫଳରେ ୫ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସେହିପରି କୋଲନରା ବ୍ଳକ୍‌ର ଖମାସିଂରେ ମଧ୍ୟ ରାସ୍ତା ଧୋଇ ଯାଇଛି। ଏଥିଯୋଗୁ ବଡ଼ଖିଲାପଦର ଓ ଖମାସିଂ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତା ଧୋଇ ହୋଇଯିବା କାରଣରୁ ୧୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ସେହିପରି ଯୁଗପଦରରେ ଥିବା ବଡ଼ ନାଳ ପୋଲ ଭାସିଯାଇଛି। ଫଳରେ ଯୁଗପଦର ଓ ମେରିଙ୍ଗ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଲଗାଣ ବର୍ଷାର ପ୍ରଭାବ ବିଷମକଟକ ବ୍ଳକ୍‌ରେ ମଧ୍ୟ ଦେଖିବାକୁ ମିଳିଛି। ପଥରଗଡ଼ରେ ଲଗାଣ ବର୍ଷାରେ ଗୋଟିଏ ଘର ଭୁଶୁଡ଼ି ପଡ଼ିଛି। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା କୁହାଯାଉଛି।

ବଂଶଧାରା ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ଗୁଣପୁର ନିକଟରେ ବଂଶଧାରା ନଦୀର ବିପଦ ସଙ୍କେତ ୮୩ ମିଟର ଥିବା ବେଳେ ଏବେ ଜଳସ୍ତର ୮୪.୪୫ ମିଟରରେ ପହଞ୍ଚିଛି। ଫଳରେ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ବନ୍ୟା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି। ଗଜପତି ବଂଶଧାରା ଜଳସ୍ଥର ବୃଦ୍ଧି କାରଣରୁ ବନ୍ୟାସ୍ଥିତି ଉପୁଜିଥିବା ତଳିଆ ସ୍ଥାନରୁ କାଶୀନଗରର ୨୦୦ ଲୋକଙ୍କୁ ଉଦ୍ଧାର କରି ସ୍କୁଲ୍‌କୁ ସ୍ଥାନାନ୍ତର କରାଯାଇଛି। ସେହିପରି ଲଗାଣ ବର୍ଷା ପ୍ରଭାବରେ କଳାହାଣ୍ଡି ଜିଲ୍ଲାରେ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ୍‌ ଅନ୍ତର୍ଗତ ଅନେକ ଗ୍ରାମ ଜଳମଗ୍ନ ହୋଇଛି। କନ୍ଧମାଳ ଜିଲ୍ଲାରେ ମଧ୍ୟ କେତେକ ରାସ୍ତା ଧୋଇ ହେବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଏତତ୍ ବ୍ୟତୀତ କନ୍ଧମାଳରେ ମଧ୍ୟ ବର୍ଷାର ପ୍ରକୋପ ଦେଖାଦେଇଛି। ଜିଲ୍ଲାର ତୁମୁଡ଼ିବନ୍ଧ ମଣ୍ଡଳପଦରରେ ଅସ୍ଥାୟୀ ପୋଲ ଧୋଇଯାଇଛି। ଫଳରେ ତୁମୁଡ଼ିବନ୍ଧ ବ୍ଲକ୍‌ର ସିର୍ଲା, ଲଙ୍କାଗଡ଼, ଝିରିପାଣି, ଗୁମା ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ଏକ ଅସ୍ଥାୟୀ ରାସ୍ତା ମଧ୍ୟ ପାଣି ଘେରରେ ରହିଛି। ବାଲିଗୁଡ଼ାର ବାଟଗୁଡ଼ା ପୋଲ ମଧ୍ୟ ଭାସି ଯାଇଛି। ଯହାଦ୍ୱାରା ତୁମୁଡ଼ିବନ୍ଧରୁ ରାମପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏପରିକି ଳାହାଣ୍ଡି-ରାୟଗଡ଼ାକୁ ଯାତାୟାତ ପ୍ରଭାବିତ ହୋଇଛି।

LEAVE A REPLY

Please enter your comment!
Please enter your name here