ରାଷ୍ଟ୍ରପତିଙ୍କଠାରୁ ଭାରତରତ୍ନ ସମ୍ମାନ ଗ୍ରହଣ କଲେ ପ୍ରଣବ

0
17

ନୂଆଦିଲ୍ଲୀ: କଂଗ୍ରେସର ଭେଟେରାନ୍‌ ନେତା ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଗୁରୁବାର ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ଗ୍ରହଣ କରିଛନ୍ତି। ଏଠାରେ ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୮୩ ବର୍ଷୀୟ ପ୍ରଣବଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଗତ ଜାନୁଆରୀରେ ପ୍ରଣବ ଖ୍ୟାତନାମା ସଙ୍ଗୀତକାର ଭୂପେନ୍‌ ହଜାରିକା ଓ ଭାରତୀୟ ଜନସଂଘ ପ୍ରତିଷ୍ଠାତା ନାନାଜି ଦେଶମୁଖଙ୍କ ସହ ଏହି ସମ୍ମାନ ପାଇବେ ବୋଲି ଘୋଷଣା କରାଯାଇଥିଲା। ପ୍ରଣବ ଗତ ୨୦୧୨ ଜୁଲାଇ ୨୫ରେ ଦେଶର ତ୍ରୟୋଦଶ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ରାଷ୍ଟ୍ରପତି ଭାବେ ପ୍ରଣବ ଦୁଇ ଜଣ ପ୍ରଧାନମନ୍ତ୍ରୀଙ୍କ ସହ କାର୍ଯ୍ୟ କରିଛନ୍ତି। ପ୍ରଥମେ ଉପା ସରକାର ଅମଳରେ ଡା. ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ବେଳେ ୨୦୧୪ରେ ଏନ୍‌ଡିଏ କ୍ଷମତାକୁ ଆସିବା ପରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ବ ନେଇଥିଲେ।

କଂଗ୍ରେସ ସହ ଜଡ଼ିତ ଥିଲେ ମଧ୍ୟ ବିରୋଧୀ ବିଜେପିର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପ୍ରଣବ ବେଶ୍‌ ସହଜରେ ଦାୟିତ୍ବ ସମ୍ପାଦନ କରିଥିଲେ। ରାଷ୍ଟ୍ରପତି ପରି ଏକ ସମ୍ମାନଜନକ ପଦବୀକୁ ସେ ନିରପେକ୍ଷତାର ଶୀର୍ଷରେ ରଖିଥିଲେ। ରାଷ୍ଟ୍ରପତି ଭବନରେ ପହଞ୍ଚି ପ୍ରଣବ ଭାରତ ରତ୍ନ ସମ୍ମାନ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଧନ୍ୟବାଦ ଦେଇଛନ୍ତି। ଶେଷ ଥର ପାଇଁ ଗତ ୨୦୧୫ରେ ଭାରତ ରତ୍ନ ଉପାଧି ପ୍ରଦାନ କରାଯାଇଥିଲା। ସେତେବେଳେ ବିଶିଷ୍ଟଶିକ୍ଷାବିତ୍‌-ରାଜନେତା ମଦନ ମୋହନ ମାଲବ୍ୟଙ୍କୁ ମରଣୋତ୍ତର ଭାବେ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଏହି ଉପାଧି ପ୍ରଦାନ କରାଯାଇଥିଲା। ଅଦ୍ୟାବଧି ଦେଶର ଏହି ସର୍ବୋଚ୍ଚ ନାଗରିକ ସମ୍ମାନ ୪୮ ଜଣଙ୍କୁ ଦିଆଯାଇସାରିଛି। ୧୯୫୪ ମସିହାରୁ ଏହି ଉପାଧି ପ୍ରଦାନ କରାଯାଇଆସୁଥିବା ବେଳେ ସର୍ବପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧି, ପ୍ରଥମ ରାଷ୍ଟ୍ରପତି ଏସ. ରାଧାକ୍ରିଷ୍ଣନ୍‌ ଓ ବିଶିଷ୍ଟ ବୈଜ୍ଞାନିକ ସିଭି ରମଣଙ୍କୁ ଏହା ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here