ଭାରପ୍ରାପ୍ତ ପୋଲିସ୍‌ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ବିଜୟ ଶର୍ମା

0
16

କଟକ: ୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ୍‌ ଅଫିସର ବିଜୟ କୁମାର ଶର୍ମା ଗୁରୁବାର ଭାରପ୍ରାପ୍ତ ପୋଲିସ୍‌ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିସହ ବିଜୟ ଶର୍ମା ଅଗ୍ନିଶମ ବିଭାଗର ଦାୟିତ୍ବ ମଧ୍ୟ ସମ୍ଭାଳିବେ। କଟକଠାରେ ଥିବା ରାଜ୍ୟ ପୋଲିସ୍‌ ମୁଖ୍ୟାଳୟରେ ଡା ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କଠାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି।

ପୂର୍ବରୁ ଡିଜିପି ଥିବା ଡା ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ମନୋନୀତ ହେବା ପରେ ବର୍ତ୍ତମାନର ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମାଙ୍କୁ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ନୂଆ ଡିଜିପି ନିଯୁକ୍ତ ହେବା ପର୍ଯ୍ୟନ୍ତ ବିଜୟ ଶର୍ମା ରାଜ୍ୟର ପୋଲିସ୍‌ ମୁଖ୍ୟ ଭାବେ କାର୍ଯ୍ୟ କରିବେ।  ୩୩ ବର୍ଷର କାର୍ଯ୍ୟକାଳ ଭିତରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦବୀରେ ରହିଛନ୍ତି ବିଜୟ କୁମାର ଶର୍ମା। ସୁନ୍ଦରଗଡ଼, ଫୁଲବାଣୀ, ସମ୍ବଲପୁର ସହ ୨ ଥର ଖୋର୍ଦ୍ଧା ଏସ୍‌ପି ଦାୟିତ୍ବ ମଧ୍ୟ ତୁଲାଇଛନ୍ତି। ୧୯୯୯ ରୁ ୨୦୦୬ ପର୍ଯ୍ୟନ୍ତ ସେ ଡେପୁଟେସନ୍‌ରେ କେନ୍ଦ୍ରକୁ ଯାଇଥିଲେ। ଏହି ସମୟରେ ସିବିଆଇର ସମସ୍ତ ୩ଟି ବିଭାଗ- ଅର୍ଥନୈତିର ଅପରାଧ ଶାଖା, ସ୍ପେଶାଲ୍‌ କ୍ରାଇମ୍ ଏବଂ ଆଣ୍ଟି କରପ୍‌ସନ୍‌ ବିଭାଗରେ ନିଜର ଦକ୍ଷତା ଦେଖାଇଛନ୍ତି। ଓଡ଼ିଶା କ୍ୟାଡରକୁ ଫେରିବା ପୂର୍ବରୁ ସିବିଆଇର ଉପନିର୍ଦେଶକ, ପ୍ରଶାସନିକ ଭାବେ କାର୍ଯ୍ୟ ତୁଲାଇଥିଲେ। ଏଥି ସହ ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ଭୁବନେଶ୍ବର-କଟକ ପୋଲିସ୍‌ କମିଶନର ଦାୟିତ୍ବରେ ଥିଲେ ବିଜୟ କୁମାର ଶର୍ମା। ଅତୀତରେ ଡାକ୍ତର ଶର୍ମା ଛୁଟିରେ ଥିବା ବେଳେ ବିଜୟ ଶର୍ମା ପୋଲିସ୍‌ ମହାନିର୍ଦେଶକ ଦାୟିତ୍ୱରେ ଥିଲେ।

ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ବଦଳରେ ଡିଜିପି ପଦ ପାଇଁ ରାଜ୍ୟ ସରକାର ଯେଉଁ ଛଅ ଜଣ ବରିଷ୍ଠ ଆଇପିଏସ୍‌ଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ସେଥିରେ ସର୍ବାଗ୍ରେ ବିଜୟ କୁମାର ଶର୍ମାଙ୍କ ନାମ ରହିଛି। ତାଙ୍କ ପଛକୁ ୧୯୮୮ ବ୍ୟାଚ୍‌ର ୫ ଜଣ ଆଇପିଏସ୍‌ ଅଫିସର ଅଛନ୍ତି। ସେମାନେ ହେଲେ ସ୍ୱତନ୍ତ୍ର ସଶସ୍ତ୍ର ବାହିନୀ ଅତିରିକ୍ତ ମହାନିର୍ଦେଶକ ମନୋଜ କୁମାର ଛାବ୍ରା, କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ଏମ୍‌ ଅକ୍ଷୟ, ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଅତିରିକ୍ତ ମହାନିର୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ, ଓଡ଼ିଶା ମାନବିକ କମିଶନର୍‌ ଅନୁସନ୍ଧାନ ନିର୍ଦେଶକ ବିନୟାନନ୍ଦ ଝା ଏବଂ କଲିକତାଠାରେ ଅବସ୍ଥାପିତ ଚା’ବୋର୍ଡର ଉପାଧ୍ୟକ୍ଷ ଅରୁଣ କୁମାର ରୟ।

LEAVE A REPLY

Please enter your comment!
Please enter your name here