ବିରୋଧୀଦଳ ନେତା ପଦ ହରାଇବେ ନରସିଂହ ମିଶ୍ର

0
326

ଭୁବନେଶ୍ୱର:କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେବାପରେ ଶ୍ରୀ ମିଶ୍ରଙ୍କ ବିରୋଧିଦଳ ନେତା ପଦବୀ ପାଇଁ ସଙ୍କଟ ସୃଷ୍ଟି ହୋଇଥିଲା । ତେବେ ସମତାକ୍ରାନ୍ତିର ଏକମାତ୍ର ବିଧାୟକ ଜର୍ଜ ତିର୍କି କଂଗ୍ରେସରେ ମିଶିଯିବା ଫଳରେ ଏହି ସମସ୍ୟା ଟଳିଯାଇଥିଲା ।

ପରବର୍ତ୍ତୀ ସମୟରେ ଆଉ ଦୁଇଜଣ କଂଗ୍ରେସ ବିଧାୟକ ନବ କିଶୋର ଦାସ ଓ ଯୋଗେଶ ସିଂହ ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଫଳରେ ଏବେ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୧୩ରେ ରହିଛି ।

ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନରେ ଇସ୍ତଫା ଜନିତ କାରଣରୁ ୪ଟି ବିଧାୟକ ପଦବୀ ଖାଲି ରହିଥିବାବେଳେ ସଂଖ୍ୟାଖେଳ ଦୃଷ୍ଟିରୁ ବିରୋଧିଦଳ ନେତା ପଦରେ ନରସିଂହ ମିଶ୍ର ରହିବେ କି ନାହିଁ ତାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବଷୟବସ୍ତୁ ହୋଇଛି ।

ପ୍ରଚଳିତ ପରମ୍ପରା ଅନୁଯାୟୀ ମୋଟ୍‍ ବିଧାୟକ ସଂଖ୍ୟାର ଅନ୍ୟୁନ ଏକ ଦଶମାଂଶ ସଦସ୍ୟ କଂଗ୍ରେସ ଦଳର ରହିଲେ ଯାଇ ଏହାର ବିଧାୟକଦଳ ନେତା ବିରୋଧିଦଳ ନେତା ମାନ୍ୟତା ରଖିପାରିବେ । ତେବେ ସମ୍ବିଧାନ ବିଶାରଦମାନେ କହୁଛନ୍ତି ଯେ ଗଣତାନ୍ତ୍ରିକ ପରମ୍ପରା ଦୃଷ୍ଟିରୁ ସରକାରୀଦଳ ଚାହିଁଲେ ସଂଖ୍ୟାଗରିଷ୍ଠ ବିରୋଧିଦଳର ନେତାଙ୍କୁ ବିରୋଧିଦଳ ନେତାଭାବେ ରଖାଯାଇପାରେ ।

ନବ, ଯୋଗେଶ ଓ ସଗରିଆଙ୍କ ବ୍ୟତିତ ବିଜେପିର ବରିଷ୍ଠ ବିଧାୟକ ଦିଲ୍ଲୀପ ରାୟ ମଧ୍ୟ ବିଧାନସଭାର ସଦସ୍ୟ ପଦବୀରୁ ଇସ୍ତଫା ଦେଇସାରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଦିଲ୍ଲୀପ ବିଧାନସଭାରେ ସବୁଠାରୁ ଅଧିକ ସଂଖ୍ୟକ ଗୁରୁତ୍ୱପୂର୍ଣ୍ଣ ତାରକା ଓ ଅଣତାରକା ପ୍ରଶ୍ନ ପଚାରି ଆସୁଥିଲେ । ଶ୍ରୀ ଦାସ ଓ ଶ୍ରୀ ସଗରିଆ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ବିଧାନସଭାରେ ଅନେକ ପ୍ରଶ୍ନ ଉଠାଇଥାନ୍ତି ।

ଆସନ୍ତା ୪ ତାରିଖରୁ ଆରମ୍ଭ ହେଉଥିବା ଚଳିତ ବିଧାନସଭାର ଶେଷ ଅଧିବେଶନରେ ଏହି ୪ଜଣ ବିଧାୟକଙ୍କୁ ବିଧାନସଭାରେ ଦେଖିବାକୁ ମିଳିବନାହିଁ କିମ୍ବା ସେମାନଙ୍କ ପ୍ରଶ୍ନ ବି ଆସିବନାହିଁ ।

ଓଡିଶା ବିଧାନସଭାର କାର୍ଯ୍ୟକାଳ ଜୁନ୍‍ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ରହିଛି । ତେବେ ଲୋକସଭା ସହିତ ଓଡିଶା ବିଧାନସଭାର ନିର୍ବାଚନପାଇଁ ମାର୍ଚ୍ଚ ମାସରେ ଯେକୌଣସି ସମୟରେ ବିଜ୍ଞପ୍ତି ପ୍ରକାଶ ପାଇପାରେ । ଏ ଦୃଷ୍ଟିରୁ ଖାଲି ପଡିଥିବା ଚାରିଟିଯାକ ବିଧାନସଭା ଆସନପାଇଁ ଆଉ ଉପନିର୍ବାଚନ ହେବାରନାହିଁ ।

ବିଧାନସଭାର ଶେଷ ଅଧିବେଶନରେ ଆଗାମୀ ଆର୍ଥିକ ବର୍ଷପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‍ ନଆଣି ରାଜ୍ୟ ସରକାର ତିନିମାସିଆ ଲେଖାନୁଦାନ ଆଣିପାରନ୍ତି । ୨୦୧୪ ନିର୍ବାଚନ ପୂର୍ବରୁ ବି ଅନୁରୂପ ଭାବେ ଲେଖାନୁଦାନ ଆସିଥିଲା । ସେତେବେଳେ ସଂସଦରେ ମଧ୍ୟ କାମଚଳା ବଜେଟ୍‍ ଅଣାଯାଇଥିଲା ।

ଓଡିଶା ବିଧାନସଭାର ଏହି ଶେଷ ଅଧିବେଶନ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ଓ ସରଗରମ ହେବବୋଲି ଆଶା କରାଯାଉଛି । ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଆକ୍ରମଣ କରିବାଲାଗି ଦୁଇ ପ୍ରମୁଖ ବିରୋଧିଦଳ ସଜବାଜ ହେଉଥିବାବେଳେ ଏହାର ଠିକଣା ମୁକାବିଳା ସହିତ ଓଡିଶା ପ୍ରତି ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରୀୟ ଅବହେଳା ଉଠାଇବାପାଇଁ ସରକାରୀଦଳ ବି ତତ୍ପର ।

 

LEAVE A REPLY

Please enter your comment!
Please enter your name here