ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର୍‌ ତାଲିକା

0
279

ଭୁବନେଶ୍ୱର: ଆସନ୍ତା ଏପ୍ରିଲ କିମ୍ବା ମେ’ ସୁଦ୍ଧା ଓଡ଼ିଶାରେ ଏକାସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇପାରେ। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀରୁ ଏପରି ଆଭାସ ମିଳିଛି। ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପୂରା ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏହି ସାମ୍ବାଦିକ ସମ୍ମିଳନୀ‌‌ରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିସନର୍‌ ସୁରେନ୍ଦ୍ର କୁମାର ଦେଇଥିବା ସୂଚନା ଅନୁଯାୟୀ, ରାଜ୍ୟରେ ମୋଟ ୩ କୋଟି ୧୮ ଲକ୍ଷ ୭୮୬ଜଣ ଭୋଟର୍‌ ଅଛନ୍ତି। ତେବେ ଗତ ନିର୍ବାଚନ ଅପେକ୍ଷା ଏଥର ଭୋଟର୍‌ ସଂଖ୍ୟା ପାଖାପାଖି ୫ ଲକ୍ଷ ବୃଦ୍ଧି ପାଇଛି। ସେହିପରି ୪ ଲକ୍ଷ ୧୧ ହଜାର ୫୦୫ ନୂଆ ଭୋଟର୍‌ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ତାଲିକାରେ ୨ ଲକ୍ଷ ୯୭ ହଜାର ୩୨୩ଟି ଭୋଟର୍‌ ସନ୍ଦେହଜନକ ଥିଲା ବେଳେ ୧ଲକ୍ଷ ୮୦ ହଜାର ଭୋଟର୍‌ ତାଲିକାରୁ ବାଦ୍‌ ଦିଆଯାଇଛି। ତେବେ ତାଲିକାରେ ଯେଉଁ ଭୋଟର୍‌ଙ୍କ ନାଁ ନାହିଁ କି ତ୍ରୁଟି ରହିଛି, ସେମାନେ ଏନେଇ ଆବେଦନ କରିପାରିବେ। ଭୋଟର୍‌ଙ୍କ ସହାୟତା ଲାଗି ଟୋଲ ଫ୍ରି ନମ୍ବର ୧୯୫୦ ଜାରି କରାଯାଇଛି। ବିନା ମୂଲ୍ୟରେ ଭୋଟର୍‌ ଏହି ନମ୍ବରକୁ କଲ୍‌ କରି ସହାୟତା ପାଇପାରିବେ। ସେହିପରି ପ୍ରତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଭୋଟର୍‌ ସହାୟତା କେନ୍ଦ୍ର ସ୍ଥାପନ କରାଯିବ। ଭୋଟର୍‌ ନିଜେ ଯାଇ ଅଭିଯୋଗ କିମ୍ବା ପ୍ରଶ୍ନ କରିପାରିବେ ବୋଲି ଶ୍ରୀ କୁମାର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here