ଧାରା ୩୭୦ ଉଚ୍ଛେଦ ଉପରେ ଲୋକସଭାରେ ପ୍ରବଳ ବିତର୍କ

0
18

ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନର ୩୭୦ ଧାରାକୁ ଉଚ୍ଛେଦ କରିବା ସକାଶେ ସୋମବାର ସଂସଦର ରାଜ୍ୟସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ଉପସ୍ଥାପନ କରିବା ପରେ ଏହା ଗୃହର ମଞ୍ଜୁରୀ ହାସଲ କରିଛି। ରାଜ୍ୟସଭାରେ ଏହି ପ୍ରସ୍ତାବ ପାରିତ ହୋଇସାରିବା ପରେ ମଙ୍ଗଳବାର ଲୋକସଭାରେ ଉପସ୍ଥାପିତ ହୋଇଛି। ଏହା ଉପରେ ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କ ମଧ୍ୟରେ ବିତର୍କ ଜାରି ରହିଛି। ବିରୋଧୀ କଂଗ୍ରେସ ପକ୍ଷରୁ ଏହାକୁ ପ୍ରବଳ ବିରୋଧ କରାଯିବା ସହ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ କ’ଣ ବୋଲି ପଚରାଯାଇଥିଲା। ଏହାର ଜବାବରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ କହିଥିଲେ ଯେ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଆଲୋଚନା ହେଲା ମାତ୍ରେ ସେଥିରେ ପିଓକେ ସହ ଆକସାଇ ଚୀନ୍‌ ପରି ଅଞ୍ଚଳ ମଧ୍ୟ ଅନ୍ତର୍ଭୁକ୍ତ। ପିଓକେ ଭାରତର ଅଂଶବିଶେଷ ନୁହେଁ ବୋଲି କଂଗ୍ରେସ ଭାବୁଛି କି ବୋଲି ଶାହ ପ୍ରଶ୍ନ କରିଥିଲେ।

କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଧାରା ୩୭୦ ଉଚ୍ଛେଦ ଉପରେ ଶାହଙ୍କ ସ୍ପଷ୍ଟୀକରଣ ମାଗିଥିଲେ। ସେ କହିଥିଲେ ଯେ କିଛି ଦିନ ତଳେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଆମେରିକାର ବୈଦେଶିକ ସଚିବ ମାଇକ୍‌ ପମ୍ପିଓଙ୍କୁ କଶ୍ମୀର ବିବାଦ ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି କହିଥିଲେ। ବର୍ତ୍ତମାନ ଜମ୍ମୁ-କଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା ହୋଇ ରହିଛି କି ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ସ୍ପଷ୍ଟ କରିବା ଉଚିତ ବୋଲି ଚୌଧୁରୀ କହିଥିଲେ। ଏହାର ଜବାବରେ ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଏହା ଭାରତ ଓ ଜମ୍ମୁ-କଶ୍ମୀରର ସମ୍ବିଧାନ ଅନୁସାରେ ପରିଚାଳିତ ହେଉଛି। ତେଣୁ ସଂସଦ ଜମ୍ମୁ-କଶ୍ମୀରର ଶାସନ ଅଧିକାର ହାତକୁ ନେଇପାରିବ ବୋଲି ଶାହ କହିଛନ୍ତି। ତେବେ ପିଓକେ ପ୍ରସଙ୍ଗରେ ଶାହଙ୍କ ଆକ୍ରମଣାତ୍ମକ ଉତ୍ତରରେ କଂଗ୍ରେସ ସାଂସଦ ଚୌଧୁରୀ ତାଙ୍କର ଏପରି ଆଚରଣର କାରଣ କ’ଣ ବୋଲି ପଚାରିବାରେ ଶାହ କହିଥିଲେ, ଆମେ କଶ୍ମୀର ପାଇଁ ଜୀବନ ଦେଇପାରିବୁ। ତେଣୁ ଆମେ ଏତେ ମାତ୍ରାରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛୁ। ସୂଚନାଯୋଗ୍ୟ ଯେ ରାଜ୍ୟସଭାରେ ଧାରା ୩୭୦ ଉଚ୍ଛେଦ ପ୍ରସ୍ତାବ ସପକ୍ଷରେ ୧୨୫ ଜଣ ଓ ବିପକ୍ଷରେ ୬୧ ଜଣ ସାଂସଦ ମତ ଦେଇଥିଲେ।

LEAVE A REPLY

Please enter your comment!
Please enter your name here