ଧାରା ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସରେ ମତଭେଦ, ଜ୍ୟୋତିରାଦିତ୍ୟଙ୍କ ସମର୍ଥନ

0
7

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପାଇଁ ଉଦ୍ଦିଷ୍ଟ ଥିବା ଧାରା ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସ ଭିତରେ ମତଭେଦ ପଦାକୁ ଆସିଛି। କଂଗ୍ରେସ ସଭାପତି ଦୌଡ଼ରେ ଥିବା ଜ୍ୟୋତିରାଦିତ୍ୟ ସିନ୍ଦିଆ ସିଧାସଳଖ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରି ଟ୍ବିଟ୍‌ କରିଛନ୍ତି। ଦେଶର ସ୍ବାର୍ଥ ପାଇଁ ସରକାର ନେଇଥିବା ନିଷ୍ପତ୍ତିକୁ ସେ ସ୍ବାଗତ କରନ୍ତି ବୋଲି ଟ୍ବିଟ୍‌ କରିଛନ୍ତି। ଭାରତରେ ଜମ୍ମୁ-କଶ୍ମୀର ଓ ଲଦାଖର ପୂର୍ଣ୍ଣ ମିଶ୍ରଣ ହୋଇଛି ବୋଲି ମଧ୍ୟ ଜ୍ୟୋତିରାଦିତ୍ୟ ଟ୍ବିଟ୍‌ ଜରିଆରେ ପ୍ରକାଶ କରିଛନ୍ତି। ଯଦି ଏହି ନିଷ୍ପତ୍ତି ପୂର୍ବରୁ ସାମ୍ବିଧାନିକ ବ୍ୟବସ୍ଥାକୁ ଅନୁସରଣ କରାଯାଇଥାନ୍ତା ତାହେଲେ ଆହୁରି ଭଲ ହୋଇଥାନ୍ତା ବୋଲି ସେ ପ୍ରକାଶ କରିଛନ୍ତି।

ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ନେଇ ଆଲୋଚନା ବେଳେ କେତେକ କଂଗ୍ରେସ ନେତା ଧାରା ୩୭୦ ଉଚ୍ଛେଦକୁ ‘ବ୍ଲାକ୍‌ ଡେ’ ବୋଲି କହି ସରକାରଙ୍କୁ ସମାଲୋଚନା କରିଥିଲେ। ଏହାକୁ ନେଇ ଦିନ ତମାମ ଲୋକସଭାରେ ବିତର୍କ ଚାଲିଥିଲା ବେଳେ ଆଉ କେତେକ ନେତା ସରକାରଙ୍କ ନିଷ୍ପତ୍ତିକୁ ଖୋଲା ସମର୍ଥନ କରିବା ଦଳ ଭିତରେ ଥିବା ମତଭେଦକୁ ପଦାକୁ ଆଣିଛି। ରାଜ୍ୟସଭାରେ କଂଗ୍ରେସ ସାଂସଦ ତଥା ଦଳର ମୁଖ୍ୟ ସଚେତକ ଭୁବନେଶ୍ବର କଲିଟା ଦଳର ନିଷ୍ପତ୍ତି ବିରୋଧରେ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ଦଳ ତରଫରୁ ହ୍ବିପ୍‌ ଜାରି କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଦେଶବାସୀଙ୍କ ଭାବନା ଦୃଷ୍ଟିରୁ ସେ ହ୍ବିପ୍ ଜାରି କରିବାକୁ ରୋକ୍‌ଠୋକ ମନା କରିବା ପରେ ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଧ୍ବଂସାଭିମୁଖୀ ହେଉଥିଲା ବେଳେ ସେ ଏଥିରେ ସାମିଲ ହେବାକୁ ଚାହାନ୍ତି ନାହିଁ ବୋଲି ଭୁବନେଶ୍ବର କଲିଟା କହିଛନ୍ତି।

ଆଉ ଜଣେ ବରିଷ୍ଠ କଂଗ୍ରେସ ନେତା ଜନାର୍ଦ୍ଦନ ଦ୍ବିବେଦୀ ମଧ୍ୟ ଦଳର ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରାଯିବାକୁ ନେଇ ସମାଲୋଚନା କରିଛନ୍ତି। ସ୍ବାଧୀନତା ସମୟରେ ହୋଇଥିବା ଭୁଲ୍‌କୁ ସୁଧାରିବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହାକୁ ସେ ସ୍ବାଗତ କରନ୍ତି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି। ଉତ୍ତର ପ୍ରଦେଶର କଂଗ୍ରେସ ବିଧାୟିକା ଆଦିତି ସିଂହ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସ୍ବାଗତ କରି ଟ୍ବିଟ୍‌ କରିବା ପରେ କଂଗ୍ରେସ ଭିତରେ ଥିବା ମତଭେଦ ପଦାରେ ପଡ଼ିଛି।

LEAVE A REPLY

Please enter your comment!
Please enter your name here