ଝୁଲିଛି ବିଶ୍ୱସ୍ତରୀୟ ରେଳଷ୍ଟେସନ

0
59

ବୁଝାମଣାପତ୍ର ସ୍ୱାକ୍ଷର ଲାଗି ସ୍ଥାନ ଚୂଡ଼ାନ୍ତ ହୋଇପାରୁନଥିବାରୁ ଭୁବନେଶ୍ୱରର ରେଳଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ଯୋଜନା ଶୂନ୍ୟରେ ଝୁଲି ରହିଛି ।

ଏହି ବିଶ୍ୱସ୍ତରୀୟ ରେଳଷ୍ଟେସନ ଲାଗି କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା କଥା । ଗତ ଜାନୁଆରୀ ୨୦ ତାରିଖକୁ ଏଥିଲାଗି ଦିନଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଇତିମଧ୍ୟରେ ୫ ମାସ ବିତି ଯାଇଥିଲେ ବି ବୁଝାମଣାପତ୍ର ହୋଇପାରିନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟ ସରକାର ତାଙ୍କର ସ୍ମାର୍ଟସିଟି ଉନ୍ନୟନ କାର୍ଯ୍ୟକ୍ରମରେ ଭୁବନେଶ୍ୱର ରେଳଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ଲାଗି ଅର୍ଥ ଖଟାଇବାକୁ ଘୋଷଣା କରିଥିଲେ । ଏଥିଲାଗି ରାଜ୍ୟ ସରକାର ୬୦ କୋଟି ଟଙ୍କା ମଧ୍ୟ ବ୍ୟବସ୍ଥା କରିଛନ୍ତି ।

ଏଥିସହିତ ଏହି ବିଶ୍ୱସ୍ତରୀୟ ରେଳଷ୍ଟେସନ ଲାଗି କେନ୍ଦ୍ର ସରକାର ୭୦ କୋଟି ଟଙ୍କା ଖର୍ଚ୍ଚ କରିବା କଥା । ଏହାଫଳରେ ଭୁବନେଶ୍ୱର ରେଳଷ୍ଟେସନରେ ଆଉ ଗୋଟିଏ ପ୍ଲାଟଫର୍ମ ଓ ଦୁଇଟି ରେଳଲାଇନ ସୃଷ୍ଟି ହେବ ।

ଇତିମଧ୍ୟରେ ରାଜ୍ୟ ସରକାର ସିଙ୍ଗାପୁରର ଏକ ଆନ୍ତର୍ଜାତିକ ସଂସ୍ଥାକୁ ଏହି କାର୍ଯ୍ୟ ଲାଗି ଯୋଜନା ପ୍ରସ୍ତୁତ କରିବାକୁ ଦେଇଛନ୍ତି । ଗତ ମଇ ୨୩ ତାରିଖରେ ଦିଲ୍ଲୀରେ ଏହି ପ୍ରକଳ୍ପ ଲାଗି ବୁଝାମଣାପତ୍ର ସ୍ୱାକ୍ଷର ପାଇଁ ରେଳମନ୍ତ୍ରୀ ପିୟୁଷ ଗୋଏଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ ।

ତେବେ ମଇ ୨୧ ତାରିଖରେ ନବୀନ ପିୟୁଷଙ୍କୁ ଚିଠି ଲେଖି ଭୁବନେଶ୍ୱରରେ ଏହି ବୁଝାମଣାପତ୍ର ସ୍ୱାକ୍ଷର କରିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି । ଭୁବନେଶ୍ୱର କି ଦିଲ୍ଲୀରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହେବ ସେଥିଘେନି ଟଣାଓଟରା ଚାଲିଥିବାରୁ ବିଶ୍ୱସ୍ତରୀୟ ରେଳଷ୍ଟେସନ କାର୍ଯ୍ୟ ଆଗେଇ ପାରୁନାହିଁ ।

କେନ୍ଦ୍ରୀୟ କର୍ତୃପକ୍ଷ ଦିଲ୍ଲୀରେ ବୁଝାମଣାପତ୍ର ଲାଗି ଯୁକ୍ତି ବାଢୁଛନ୍ତି । ଅନ୍ୟପକ୍ଷରେ ଏହି ପ୍ରକଳ୍ପ ଲାଗି ରାଜ୍ୟ ସରକାର ବ୍ୟାପକ ଅର୍ଥ ଖର୍ଚ୍ଚ କରିବାକୁ ଯାଉଥିବାରୁ ବୁଝାମଣାପତ୍ର ସ୍ୱାକ୍ଷର କାହିଁକି ଭୁବନେଶ୍ୱରରେ ହେବ ନାହିଁ ବୋଲି ରାଜ୍ୟ ସରକାରଙ୍କ ଅଧିକାରୀମାନେ କହୁଛନ୍ତି ।

ଏଭଳି ସ୍ଥିତିରେ ଏ ସମସ୍ୟାର କିପରି ସମାଧାନ ହେବ ଏବଂ ମଧ୍ୟସ୍ଥତା କରି କାହାକୁ କିଏ ବୁଝାଇବ ତାହା ଏକ ପ୍ରଶ୍ନବାଚୀ । ବୁଝାମଣାପତ୍ର ସ୍ୱାକ୍ଷର ଲାଗି ସ୍ଥାନ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ କର୍ତୃପକ୍ଷ ନିଜ ନିଜ ଜିଦରେ ଅଟଳ ଥିବା ବେଳେ ପୂର୍ବତଟ ରେଳପଥ ଓ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଚୁପଚାପ ବସି କେବଳ ଉପର ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here