ଆଉ ୬୨୨ ଡାକ୍ତରଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ

0
89

ଭୁବନେଶ୍ୱର: ରାଜ୍ୟ ସରକାର ଗତକାଲି ୯୩୮ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେଲେ । ଆଜି ଆଉ ୬୨୨ଜଣଙ୍କ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସାଳୟରେ ସମୁଦାୟ ୧୫୬୦ ଜଣ ନୂତନ ଏମବିବିଏସ୍ ଡାକ୍ତର ନିଯୁକ୍ତି ପାଇଛନ୍ତି । ନୂତନ ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ସେମାନେ ସମ୍ପୂର୍ଣ୍ଣ ନିଷ୍ଠା ଓ ଦକ୍ଷତାର ସହ କାମ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ରାଜ୍ୟର ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ ଓ ସହଜ କରିବା ଲାଗି ସରକାର ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଗତକାଲି ରାଜ୍ୟ ଲୋକସେବା ଆୟୋଗ ଦ୍ୱାରା ଚୟନ କରାଯାଇଥିବା ୯୩୮ ଜଣ ଡାକ୍ତରଙ୍କ ମଧ୍ୟରୁ ୭୮୪ ଜଣଙ୍କୁ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୧୩୫ ଜଣଙ୍କୁ ପ୍ରଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦକ୍ରମେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି । ନବନିଯୁକ୍ତ ଡାକ୍ତର ଯେପରି ଯଥାଶୀଘ୍ର କାର୍ଯ୍ୟରେ ଯୋଗ ଦେବେ ସେନେଇ ନିଦେ୍ର୍ଦଶନାମା ଜାରି ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ବର୍ଷ ବର୍ଷ ଧରି ଡାକ୍ତର ଅଭାବ ଜନିତ ଯେଉଁ ସମସ୍ୟା ରହିଥିଲା ତାର ସମାଧାନ ହୋଇପାରିଛି । ସରକାର ଅଧିକରୁ ଅଧିକ ଡାକ୍ତର ନିଯୁକ୍ତି ଦେଉଥିବା ବେଳେ ଭିତ୍ତିଭୂମି ସୁଦୃଢ ହେଇଥିବାରୁ ନୂଆ ଡାକ୍ତରମାନେ ଓଡିଶାରେ କାମ କରିବାକୁ ଆଗଭର ହେଉଛନ୍ତି । ଦୁର୍ଗମ ଅଞ୍ଚଳ ତଥା କେବିକେ ପ୍ଲସ୍ ଅଞ୍ଚଳରେ କାମ କରୁଥିବା ଡାକ୍ତରମାନଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ଭତ୍ତା ଦିଆଯାଉଛି । ଓଡିଶା ମେଡିକାଲ ସର୍ଭିସ୍ର ସବୁ ଡାକ୍ତରଙ୍କୁ ଚାକିରୀ କାଳରେ ୩ଟି ନିଶ୍ଚିତ ପଦୋନ୍ନତି ବ୍ୟବସ୍ଥା କରାଯାଇଛି । କେବଳ ଡାକ୍ତର ନୁହନ୍ତି ପାରାମେଡିକ୍ କର୍ମଚାରୀ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ କ୍ୟାଡର ପୁନର୍ଗଠନ ଠାରୁ ଆରମ୍ଭ କରି ନିୟମିତ କରଯାଇ ଦରମା ଏବଂ ଭତ୍ତା ବୃଦ୍ଧି କରାଯାଇଛି । ରାଜ୍ୟ ସରକାର ଡାକ୍ତର ନିଯୁକ୍ତି କ୍ଷେତ୍ରରେ ମିଶନ୍ ମୋଡ୍ରେ ପଦକ୍ଷେପ ନେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

LEAVE A REPLY

Please enter your comment!
Please enter your name here